୨୦ରୁ ଅଧିକ ଆହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଗାଜିଆବାଦ : ରବିବାର ଉତ୍ତରପ୍ରଦେଶ ମୁରାଦନଗର ଶ୍ମଶାନ ଘାଟରେ ଥିବା ଏକ ଆଶ୍ରୟସ୍ଥଳୀ ଛାତ ଭୁଶୁଡ଼ି ୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ବନ୍ଧୁ ପରିଜନମାନେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନ୍ଡିଆର୍ଏଫ୍ ଟିମ୍ ଏବଂ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ରକ୍ଷା ପାଇଯାଇଛି। ଘଟଣାସ୍ଥଳରେ ହିଁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ହସ୍ପିଟାଲରେ ଆଖି ବୁଜିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁରାଦନଗର ଶ୍ମଶାନ ଘାଟରେ ମୁରାଦନଗରର ଜଣେ ବ୍ୟକ୍ତିଙ୍କ ଶବଦାହ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ବର୍ଷା ହେବାରୁ ୫୦ରୁ ଅଧିକ ବ୍ୟକ୍ତି ଶବଦାହ ସ୍ଥଳରେ ଥିବା ଆଶ୍ରୟସ୍ଥଳୀରେ ଅପେକ୍ଷା କରିଥିଲେ। ଏହି ସମୟରେ ଆଶ୍ରୟ ସ୍ଥଳ ଛାତ ଅଚାନକ ଭୁଶୁଡ଼ି ପଡ଼ିଥିଲା। ସେଠାରେ ଅପେକ୍ଷା କରିଥିବା ସମସ୍ତ ବ୍ୟକ୍ତି ଛାତ ତଳେ ଫସି ରହିଯାଇଥିଲେ। ଏନ୍ଡିଆର୍ଏଫ୍ ଟିମ୍ ଏବଂ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ ତଳେ ଚାପି ହୋଇ ରହିଥିବା ୨୦ ଜଣଙ୍କ ମୃତଦେହକୁ ବାହାର କରାଯାଇଥିଲା ଏବଂ ଅନ୍ୟ ୨୦ ଜଣ ଗୁରୁତର ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଛି। ଭୁଶୁଡ଼ି ପଡ଼ିଥିବା ଶ୍ମଶାନ ଆଶ୍ରୟସ୍ଥଳ ମାତ୍ର ଅଢ଼େଇ ମାସ ତଳେ ନିର୍ମାଣ ହୋଇଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଛାତ ନିର୍ମାଣ କରାଯାଇଥିବାରୁ ଏଭଳି ଭୟାନକ ଘଟଣା ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିରଟ୍ ଡିଭିଜିନାଲ୍ କମିସନର ଏବଂ ଏଡିଜିଙ୍କୁ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ସରକାର କହିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିରଟ୍ ଡିଭିଜିନାଲ୍ କମିସନର ଅନିତା ମେଶ୍ରାମ କହିଛନ୍ତି।